Unknown

 

 

 

 

 

 

 

 

 

 

 

ଯଦୁମଣି ରହସ୍ୟ

 

ଯଦୁମଣି ରହସ୍ୟ

 

ଭଜନ—ରାଗ—ପୁରବୀ

ମାନସ । ଚକାନୟନକୁ ତକା ନାଲିକ ବନ୍ଧୁଜ ନାଲନେତ୍ର

ତେଜ କରାଇ ପାରନ୍ତି ଫକା । ପଦ ।

 

ଯାହା ବିଜେ ଭୁଜେ ପଡ଼ି ଚାରିଭୁଜେ ବିହରେ ବିଲୋପେ କକା ଦର୍ଶନ ମାତ୍ରକେ, କେ ଅଘଲଙ୍ଘନ, କଲେ ମଘବାରି କକା ।୧। ପଶୁ-ତର୍ଯ୍ୟକେ ଦୁଷ୍ଟପଣ ସର୍ଜ୍ଜକେ ଦୁଷ୍ଟ ଯେଉଁ ଷଣ୍ଢା ବକା-ଯୁଗଳ ବିଘାତେ ସର୍ଜ୍ଜିବିର୍ଜ୍ଜିଦେଲେ ଅର୍ଜ୍ଜିତ ବୃଜିନଦକା ।। ବାଜା ବଜା ରାଜା ପାପୀ ଅଜା ମିଳ ପୁତ୍ରକୁ ଡାକିଲା ଡକା, ଗରିଷ୍ଠ ନଷ୍ଟ ଦୂରିତ ପାପିଷ୍ଠକୁ ତୁରିତେ ମାଇଲେ ଧକ୍‌କା ।। ନିନ୍ଦା ସ୍ତୁତି ଭକ୍ତି ଘେନି ମୁକ୍ତି ଦେବା ଶକ୍ତିମନ୍ତେ ଜଣେ ପକ୍‌କା, ଚେଦି ରାଜପୁତ୍ର ନଦୀଜ ପବିତ୍ର ପାତ୍ରକୁ ଯେ କଲେ ଏକା ।। ଯଦୁମଣି ଭଣେ କଲା କର୍ମ ଗୁଣେ ରଖିବେ ନାହିଁ କଡ଼କା । ନୀଳାଚଳ ଚଳେ ନୀଳଚକ୍ରେ ଚଳେ ପାପୀପାବନ ଫଡ଼କା ।୫।

 

(୨) ଏକଦିନ ଯଦୁମଣିଙ୍କୁ ଜଣେ ଅଚିହ୍ନିତ ଲୋକ ପରିଚୟ ମାଗିବାରୁ ସେ ଗୋଟିଏ କ୍ଷୁଦ୍ର କବିତା ଦ୍ୱାରା ଆପଣାର ସବୁ ବିଷୟ ଚିହ୍ନାଇ ଦେଇଥିଲେ । ତାହା ଏହି ‘ହୟଗ୍ରୀବ ମହାପ୍ରଭୁ ପ୍ରତାପେ ଥୋଡ଼ାନୁହେ, ଲୋଡ଼ା କରନ୍ତି ନୃପେ । ଭଲେ ଭଲ ଖଣ୍ଟେଖଣ୍ଟେ ଯେ । ନବ ଦୁର୍ବାଦଳ ଶ୍ୟାମଳ କୃପାରେ ମୋ ନାମ ଉତ୍କଳ ଘଣ୍ଟ ଯେ ।’’ ଏହାର ଭାବ ଏହି ଯେ ମୁଁ ହୟଗ୍ରୀବ ମହାପ୍ରଭୁଙ୍କ ପ୍ରତାପରୁ ସାମାନ୍ୟ ଲୋକଙ୍କର ଦ୍ୱାରା ଆଦୃତ ହୁଅଇ ଏବଂ ଭଲ ବ୍ୟକ୍ତି ସହିତ ଭଲ ଆଚରଣ ଏବଂ ଖଣ୍ଟ ସହିତ ଖଣ୍ଟ ଆଚରଣ କରଇ, ଆଉ ସେହି ପ୍ରଭୁଙ୍କ ଦୟାରୁ ମୁଁ ଓଡ଼ିଶାରେ ବିଖ୍ୟାତ ହୋଇଛି ।

 

(୩) ଯଦୁମଣିଙ୍କ ବୃଦ୍ଧାବସ୍ଥାରେ ଜଣେ ତାଙ୍କୁ ପଚାରିଲେ, ଆଉ ଆଠଗଡ଼ ଯିବନାହିଁକି-? ତହୁଁ ସେ କହିଲେ, ‘‘କାଠଗଡ଼ ତ ଖୋଜିଲିଣି, ଆଠଗଡ଼ କାହିଁକି ଯିବି ?’’

 

(୪) ଏକଦିନେ ରଣପୁର ରାଜା ଯଦୁମଣିଙ୍କୁ ପଚାରିଲେ, ମହାରଥୀଙ୍କ ସ୍ତ୍ରୀଙ୍କୁ ଦେଖିଅଛ-? ‘ମଣିମା ଦେଖିଛି’ । କି ପ୍ରାୟ ଦେଖିଲ ? ତହୁଁ ଯଦୁମଣି ତତ୍‌କ୍ଷଣାତ୍‌ ନିମ୍ନଲିଖିତ କବିତାଟି ଦ୍ୱାରା ଜଣାଇଲେ–

 

‘‘ଦୁଆର ଦେହଳି ଜୁଳିକି ଧରିଣ ବାଳି ପଡ଼ିଥିଲା ଓଳିକି, ଦେଖିଲି କାଳିକି ଲାଗିଲା ଭେଳିକି ଚିନ୍ତିଲି ମଦନ ଶୂଳିକି । ମଣିମା । ତା ଭ୍ରତା କେତେ ତପ କରିଛି । ଓଳିକି ଓଳିକି ହୋଇଣ କାଳିକି କାଳକେ କାଳିକା ପାଇଛି ।’’

 

(୫) ଦିନେ ରାଜା ଯଦୁମଣି ଓ ହରେକୃଷ୍ଣ ପଟ୍ଟନାୟକ କବି ପ୍ରଭୃତି କେତେଜଣ ବସିଥିବା ସମୟରେ ଗୋଟିଏ ବେଶ୍ୟା କୌଣସିଠାରୁ ଆସି ରାଜାଙ୍କ ସହିତ ସାକ୍ଷାତ କଲା । ରାଜା ଦେଖିଲେ ସେ ବେଶ୍ୟା ବାମ କରତଳକୁ ହରଗଉରା ରଙ୍ଗରେ ପଚାଇଅଛି । ବେଶ୍ୟା ଗଲାପରେ ରାଜା, ହରେକୃଷ୍ଣ ପଟ୍ଟନାୟକଙ୍କୁ କହିଲେ, ସେ ବେଶ୍ୟା ହାତ ପଚାଇବା ବିଷୟକୁ ଲକ୍ଷ୍ୟ କରି ଗୋଟିଏ କବିତା ବୋଲ ?’ ତହୁଁ ହରେକୃଷ୍ଣ ନିମ୍ନୋକ୍ତ କବିତା ରଚନା କଲେ–

 

କି ରଙ୍ଗରେ ହରଗଉରା ରଙ୍ଗରେ ଅଙ୍ଗନା ବାମ କରତଳ, ଟୋପି ଟୋପି କରି ପଚାଇଅଛି ଯେ ଦିଶୁଅଛି କେଡ଼େ ମଞ୍ଜୁଳ ସଙ୍ଗାତ, କି ଅବା ଫୁଳଶର ସ୍ମର । ବିନ୍ଧିବା ବେଳରେ କ୍ରସ୍ତେ ଆଉଦେଲା ତେଣୁ ଏ ରୁଧିର ବାହାର ।

ଯଦୁମଣି ଏହାଶୁଣି କହିଲେ, ଭାବ କିଛି ଭଲ ହେଲା ନାହିଁ ରାଜା ଯଦୁମଣିଙ୍କୁ କହିଲେ, ‘ତୁମ୍ଭେ ବୋଲ ?’ ତାହାଶୁଣି ଯଦୁମଣି ନିମ୍ନୋକ୍ତ କବିତା ତତ୍‌କ୍ଷଣାତ୍‌ ବୋଇଲେ–

‘‘ମନଭେଦୀ ସିନା କୁସୁମ ଶର । କାହିଁ ଉର କାହିଁ ଆଉଲା କର ଏମନ୍ତ ଧୀଷଣା ହୃଦରେ ରଖି । ହରଗଉରା ଏକଠାବେ ଦେଖି । ବିଦ୍ଧିଛି କି ସାର, ତେଣୁକରି ରକ୍ତବିନ୍ଦୁ ବାହାର ।’

(୬) ଜଣେ ବେଶ୍ୟା ନିକଟକୁ ଯଦୁମଣି ଯିବା ନିମନ୍ତେ ସ୍ଥିର କରିଥିଲେ । ବେଶ୍ୟା ମଧ୍ୟ ନିର୍ଦ୍ଦିଷ୍ଟ ସମୟର ଆସିବ ବୋଲି ଜବାବ କରିଥିଲା । ସେହି ସମୟରେ ଯଦୁମଣି ଊପସ୍ଥିତ ହେବାରେ ବେଶ୍ୟା ଅନ୍ୟ ଏକ ପୁରୁଷ ସହିତ ସହବାସରେ ଥିଲା । ଯଦୁମଣି ଡାକିବାରେ ସେ କୌଣସି ମତେ କବାଟ ଫିଟାଇଲା ନାହିଁ । ତହିଁ ଆରଦିନ ବେଶ୍ୟା ସହିତ ଯଦୁମଣିଙ୍କର ସାକ୍ଷାତ ହେବାରେ ଯଦୁମଣି ନିମ୍ନୋକ୍ତ କବିତା ଦ୍ୱାରା କହିଲେ-‘‘ଜାଣୁ ଜାଣୁ ଖଣାରେ ମୁଁ ପଡ଼ିଲି ରେ, ଜଣା ଶୁଣା ସରଣୀ ଯେ ଛାଡ଼ିଲିରେ । ଊଣା ଟିଣା ବୁଦ୍ଧିରେ, ତେଲିଘଣା ମଧ୍ୟରେ, ଚଣା ପେଷାଇ ବଣା ଆଡ଼ିଲିରେ । ଯତି ଜପ ଧ୍ୱଂସତି, କରିବା ରସବତୀ, ସତୀନାୟିକା ସଙ୍ଗ ଛାଡ଼ିଲିରେ ।। ନିପଟ ମରକଟି ବଜାର ନାହାକାଟି, ପାଦାନ୍ତି ସରେମୁଣ୍ଡ ମାଡ଼ିଲିରେ ।। ବହୁକାଳ ସୁରଙ୍ଗ, ପାତାଳଫୁଟା ଲିଙ୍ଗ ଶିରେ ବାରୁଣୀଆରି ଢାଳିଲିରେ।। କୁଶଳ କଥା ମୋର ମୁସଲମାନ ଚିର, ଗାଣ୍ଡିକି କରପତ୍ର ଯୋଡ଼ିଲିରେ ।। ରାତିଟି ଊଜାଗର, ନିଦ୍ରାରେ ଗରଗର, ହୋଇ ମୁଁ ଊଚ୍ଚେ ଯେତେ ଡାକିଲିରେ ।। ନ ଶୁଣିଲେ ମୋ ଗିର, ଯଦୁମଣି ଊତ୍ତର, କର୍ମ ଦୋଷରୁ ଏହା ବିଡ଼ିଲିରେ ।’’

 

(୭) ଯଦୁମଣି ଥରେ ଦଶପଲ୍ଲା ଯାଇଥିଲେ । ସେଠାରେ ରାଜା ଯଦୁମଣିଙ୍କୁ ଅନାଦର କରିବାରେ ଯଦୁମଣି ବଡ଼ ବ୍ୟଥିତ ହେଲେ । ସେହି ସମୟରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇ ସିଂହାସନରେ ବିଜେ ହେଲାରୁ ରାଜା ଜଗନ୍ନାଥଙ୍କ ଦର୍ଶନକୁ ଗଲେ । ଯଦୁମଣି ମଧ୍ୟ ସଙ୍ଗରେ ଯାଇଥିଲେ । ସେଠାରେ ଯଦୁମଣି ଜଗନ୍ନାଥଙ୍କୁ ନିମ୍ନଲିଖିତ ରୂପେ ସ୍ତବ କଲେ–

 

‘‘କୁଞ୍ଜବନେ ଜଗନ୍ନାଥ ନ ହେବ ଗୋସାଇଁ,

ରଥ ବୋଲି ଭଣ୍ଡି ନେବେ ଶଗଡ଼େ ବସାଇ ।

ଭୋଗ ବୋଲି ଖଞ୍ଜିଦେବେ କଡ଼ିକିଆ ମୁଆଁ

ଧୂପ ବୋଲି ମାଡ଼ିଦେବେ ନିଆଁ ଖୁଣ୍ଟା ଧୂଆଁ ।’’

 

ଏହାଶୁଣି ରାଜା ଲଜ୍ଜିତ ହୋଇ ଯଦୁମଣିଙ୍କୁ ବହୁ ଅର୍ଥଦାନ କରି କହିଲେ-ଯଦୁମଣି, ତୁମ୍ଭେ କବି ଅଟ । ଆମ୍ଭ ନାମରେ କେତେ ଗୁଡ଼ିଏ, ଚଉପଦୀ ରଚନା କର ।’’ ଯଦୁମଣି କହିଲେ, ‘ଆଜ୍ଞା କାଲି ସକାଳୁ ପଣେ ଚଉପଦୀ ଆଣିଦେବି ।’’ ଏହା କହି ଆପଣା ବସାରେ ଶାଳୁଆ ପତ୍ର ଠୋଲା ତିଆରି କରି ବୋଝେ ରାଜାଙ୍କ ନିକଟକୁ ପଠାଇଦେଲେ । ରାଜା ଚଉପଦୀର ଅର୍ଥ ବୁଝିପାରି ମନେ ମନେ ହସି ବିଶେଷ ପ୍ରୀତ ହେଲେ ।

 

(୮) ଆଊ ଦିନେ ଯଦୁମଣି ରଣପୁର ରାଜାଙ୍କ ନିକଟକୁ ଯାଇଥିଲେ । ରାଜା ତାଙ୍କର ବସା, ସଞ୍ଚା, ଶୀଘ୍ର ବନ୍ଦୋବସ୍ତ କରି ନ ଦେବାରୁ ଯଦୁମଣି କ୍ଷୁଧାରେ ଆକୁଳ ହୋଇ ରାଜାଙ୍କୁ କହିଲେ–

 

ପାଶରେ ବସିଣ ବଚନେ ଭାଷିଲି କିଣାମୁଁ ଆପଣଙ୍କର,

ମୁଣ୍ଡରେ ମାଇଲେ ତୁଣ୍ଡରେ ନ ବୋଲି କିଣା ମୁଁ ଆପଣଙ୍କର ।

‘ପଣକର କି ଅଧଲାକର ।’

 

(୯) ଏକଦିନେ ନୟାଗଡ଼ ରାଜା ଯଦୁମଣିଙ୍କୁ କେତେ ଟଙ୍କା ଦେଇ ମିଠା କିଣିବା ନିମନ୍ତେ ପଠାଇଲେ । ରାଜାଙ୍କ ଆଦେଶାନୁସାରେ ଏକ ଯୋଡ଼ା ମଠା ଖରିଦ କରି ତହିଁର ଅର୍ଦ୍ଧେକ ଦାମ ମହାଜନକୁ ଦେଲେ । ବାକୀ ଅର୍ଦ୍ଧେକ ଦାମ ଦି ୧୫ ନ ମିଆଦରେ ଦେବାକୁ କରାର କରି ଆସିଲେ, ଉକ୍ତ ମଠା ରାଜାଙ୍କୁ ଦେଇ ଅବଶିଷ୍ଟ ଦାମ ମାଗିବାରୁ ରାଜା ୨।୩ ଟା ଆମ୍ୱ ତୋଟା ଯୁଦିମଣିଙ୍କ ଜିମା କରି କହିଲେ, ‘ଆମ୍ୱ କିଛି କ୍ଷତି କରିବ ନାହିଁ । ଏହା ବିକ୍ରି ହୋଇ ଏଥିରୁ ଉତ୍ପନ୍ନି ତୁମ୍ଭଙ୍କୁ ମଠା ଦାମ ସକାଶେ ଦିଆଯିବ ।’ ତହୁଁ ସେ ବଗିଚାରେ ଆମ୍ୱ ପାଚିଲା । ଯଦୁମଣି ସେ ଆମ୍ୱକୁ ତାଙ୍କର ପ୍ରିୟା ବନ୍ଧୁ ବାନ୍ଧବ ଯେ କେହି ଆପଣାର ଥିଲେ ତାଙ୍କ ନିକଟକୁ ପଠାଇଲେ । ଏ ସମ୍ୱାଦ ରାଜା ଡଗର ଦ୍ୱାରା ପ୍ରାପ୍ତ ହୋଇ ମନରେ ରାଗାନ୍ୱିତ ଭାବରେ ଯଦୁମଣିଙ୍କୁ ଶାସ୍ତି ଦେବାପାଇଁ ଧରାଇ ନେଲେ, ତହୁଁ ଯଦୁମଣି ନିମ୍ନୋକ୍ତ କବିତାଟି ରାଜାଙ୍କ ଛାମୁରେ ଜଣାଇଲେ-

 

‘‘ମୋଠାରେ ଦୟା କାଠାରେ ନାହିଁ, ଠୋଠୋ ଊପବାସ କହି ନୁହଇ । ମଠା ବିକି ବା ତୋଟା ଅଧିକାର, କହି ନୁହେ ଦୁଃଖ ନିଶି ବାସର ।

 

‘‘ଫଟା କପାଳରେ, ସୋଠା ଯା ଲେଖିଲା ବିହି ମୋଠାରେ ।’’ ଏହାଶୁଣି ରାଜା ବହୁ ପ୍ରୀତ ହୋଇ ଯଦୁମଣିଙ୍କୁ ପୁରସ୍କାର ଦେଲେ ।

 

(୧୦) ଏକଦିନେ ଯଦୁମଣି ବଡ଼ମ୍ୱା ରାଜାଙ୍କ ନିକଟରେ ପହୁଞ୍ଚିଲେ । ରାଜା ତାଙ୍କୁ ଦେଖି ତାଙ୍କର ରହିବା ନିମନ୍ତେ ତୃତୀୟ ପାଟଣା ନାମକ ସ୍ଥାନକୁ ବରାଦ ଦେଲେ । ସେ ସ୍ଥାନରେ ଦୋକାନୀକୁ ବରାଦ ଦେଲେ-ଘୃତ ଛାଡ଼ି ଆଊ ଯାହା କିଛି ଦ୍ରବ୍ୟ ଯଦୁମଣିଙ୍କର ଦରକାର ହେବ ତାହା ଦେବ । ଯଦୁମଣି ସେ ସ୍ଥାନକୁ ଯାଇ ସେ ଦୋକାନୀଠାରୁ ରୋଷେଇର ସମସ୍ତ ସାମଗ୍ରୀ ଆୟୋଜନ କଲେ । କିନ୍ତୁ ସେ ଘୃତ ନ ଦେବାରୁ ଯଦୁମଣି ରାଜାଙ୍କ ନିକଟକୁ ଘୃତମଗାଇ ପଠାଇଲେ । ତହୁଁ ଊଆସରୁ ଯେ ଘୃତ ଦେଲେ ସେଥିରେ ଘୋଡ଼ା ଗେନ୍ଧା ମିଶ୍ରିତ କରି ଯଦୁମଣିଙ୍କ ଭୋଜନ ନିମନ୍ତେ ପଠାଇଲେ । ଯଦୁମଣି ଊକ୍ତ ଘୃତକୁ ଦେଖି କାଠ ପତ୍ରରେ ଏକ ଗୋଟି ଦନା ତିଆର କରି ତହିଁରେ ରେ ରଖି ସେ ଗିନାକୁ ଦୋକାନୀ ନିକଟରେ ବନ୍ଧା ଦେଇ ତାହାଠାରୁ ଘୃତ ନେଇ ରନ୍ଦାକାର୍ଯ୍ୟ ନିର୍ବାହ କଲେ । ରାଜା ଯେଊଁ ଘୃତ ଦେଇଥିଲେ ସେ ଘୃତ ପକା ନାସ ଏକ ଦାନି ପ୍ରସ୍ତୁତ କରି ଆପଣା କମରରେ ରଖିଲେ ଓ ଅନ୍ୟ ଏକ ଦାନି ନାସରେ ଅତର ଆଦି ସୁବାସ ସାମଗ୍ରୀ ପକାଇ ତାକୁ ଶୁଙ୍ଘି ଶୁଙ୍ଘି ରାଜାଙ୍କ ନିକଟକୁ ସାକ୍ଷାତ କରିବାକୁ ଗଲେ । ରାଜା ଯଦୁମଣିଙ୍କୁ ଦେଖି ପ୍ରଶ୍ନ କଲେ, ଏବେ ନାସ ଅଭ୍ୟାସ କଲଣିକି ? ଭଲ ଖୁସୁବୋଇ ଦ୍ରବ୍ୟ ହୋଇଅଛି, ଆଚ୍ଛା ଆମ୍ଭଙ୍କୁ ଟିପେ ଦିଅ ।’’ ତହୁଁ ଯଦୁମଣି କହିଲେ-‘‘ଏ ଦାନି ସୁଙ୍ଘିବା ଦ୍ୱାରା ମାରା ହୋଇଅଛି । ଆପଣ ଚାହିଁବେ, ଏଥି ଯୋଗେ ନୂତନ ଦାସ ଏକ ଦାନି ପ୍ରସ୍ତୁତ କରି ଆଣିଛି । ଏହା କହି ଆପଣା କମରରେ ଥିବା ଦାନିକୁ ରାଜାଙ୍କୁ ଦେଲେ, ତହୁଁ ରାଜା ନିଜେ କିଛି ଆଘ୍ରାଣ କରି ତାଙ୍କ ନିକଟରେ ଥିବା ଅନ୍ୟାନ୍ୟ ଅମାତ୍ୟମାନଙ୍କୁ ଟିପେ ଟିପେ ଆଘ୍ରାଣ କରିବାକୁ ଦେଲେ । ଯେ ଶୁଙ୍ଘିଲେ ସେ ଏଗୁଡ଼ାକ କି ପଦାର୍ଥ ବୋଲି ବ୍ୟତିବ୍ୟସ୍ତ ହେଲେ । ରାଜାଙ୍କର ଓକାର ହେଲା । ତହୁଁ ରାଜା ଯଦୁମଣିଙ୍କୁ ପ୍ରଶ୍ନ କଲେ-ଯଦୁମଣି । ଏ ଗୁଡ଼ିକ କିସ ତୁମ୍ଭେ ସତ କହ । ତହୁଁ ଯଦୁମଣି ରାଜାଙ୍କୁ ନିମ୍ନଲିଖିତ କବିତା ଦ୍ୱାରା ଜଣାଇଲେ ।

 

‘‘ଚନ୍ଦ୍ର ତୁମ୍ଭେ ସିନା ଖନ୍ଦା ଦେଇଥିଲ ତୃତୀୟ ପାଟଣା ଆଜ ।

ଗିନା ବନ୍ଧା ଦେଇ ଖନ୍ଦା ଚଳାଇଲି ଗନ୍ଧସୁଙ୍ଘା ମଙ୍ଗରାଜ ।।

(ବଡ଼ମ୍ୱା ପାଟଣାରେ ତୃତୀୟ ପାଟଣା ବୋଲି ଏକ ମୌଜା ଅଛି)

 

(୧୧) ଯଦୁମଣି ଗୋଟିଏ ଛୋଟ ବିଷ୍ଣୁ ପ୍ରତିମାରେ ଅନେକ ପାଟକନା ଗୁଡ଼ାଇ ସ୍ଥୁଳାକୃତି କରି ରଣପୁର ରାଜାଙ୍କୁ ଭେଟିଲେ । ରାଜା ସ୍ୱହସ୍ତରେ ଦୁଇ ଚାରିଖଣ୍ଡି କନା ପିଟାଇଲେ । ମାତ୍ର ଯଦୁମଣିଙ୍କ ଠକ ସ୍ୱଭାବ ଜାଣିଥିବାରୁ ମନରେ ଭାବିଲେ, ଏ ଆମ୍ଭମାନଙ୍କୁ ଠକାଇବାକୁ ଆସିଅଛି, ଏଣୁକରି ତାହା ତଳରେ ଥୋଇ ଦେବାରୁ ଯଦୁମଣି ଏହି କବିତାଟି ପାଠକଲେ-

 

‘‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, କନ୍ଧ ହାତରେ ଦେଲି ଗୋଦାନ ଟେକି । ଜଡ଼ା ମଧୁରେ ଖଡ଼ା କଲି ରନ୍ଧନ କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ୱନ ।

 

‘‘ହେ ରାଜା କି କଲ, ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲୁ ?’’

 

ଯଦୁମଣି ରଣପୁର ରାଜାଙ୍କୁ ଲକ୍ଷ୍ୟକରି ଊପରୋକ୍ତ କବିତାଟି ବୋଲିବାରୁ ରାଜା ଯଦୁମଣି ଊପରେ ବିରକ୍ତ ହେଲେ । ସୁତରାଂ ଯଦୁମଣି କେତେ ବରଷ ରଣପୁର ଗଲେ ନାହିଁ । ପରେ ନିମ୍ନୋକ୍ତ କବିତାଟି ଲେଖି ନାତୁଣୀ ଜୁଆଇଁ ହାତରେ ରଣପୁର ରାଜାଙ୍କ ନିକଟକୁ ପଠାଇଲେ-

 

‘‘ମଣି ଫଣି ଭବ ରମଣୀ ଉଦ୍ଭବ ଧରଣୀର ପାରେଶ୍ୱର,

ଦୁର୍ଗେଶ୍ୱର ବଜ୍ରଧର ବେଣୁଧର ନରେନ୍ଦ୍ର ମହାପାତ୍ରଙ୍କର ।।

ରାଜେ ରାଜତ୍ୱ, ବିରାଜେ ମହା ମହିଁମାରେ ।

ଥାନା ଫାଣ୍ଡି ଡ଼କା ବଡ଼ାଇ ପତକା ଉଡ଼ଇ ନାହିଁ ସେ ସମୀରେ ।।

ହରି ଚନ୍ଦନ ଜଗଦେବ ତ୍ରିଲକ୍ଷଟଙ୍କା ମୂଲକର ମାଲିକ ।

ସେ ହେଳେ ଚାତକ, ଧନ ଘନୋଦକ, ବରଷୁ ଦୋଉଙ୍କ ଜନକ ।।

ଥଣ୍ଡା ଭଜି ସେ ମଣ୍ଡାଇଲେ ମୁଖେ ଏ ଗିର ।

ଖଣ୍ଡାଇତ ବଂଶେ ଭଣ୍ଡାର କଲେ ସେ ଧଣ୍ଡାବନ୍ଦା ରଣପୁର ।।

ତାକୁ ତୁଚ୍ଛକରି ଦେବାର ଇଚ୍ଛାକୁ ଶ୍ରୀ ଦେଉ କରିଛି ଅନେକ ।

ଦୁଃଖୀ ରଙ୍କୀ ଖାଙ୍କୀ ଗୁଣୀ ଗୁଣବନ୍ତ ଜନେ ବରଷିଛ ଜନକ ।।

ଯେଉଁ କାଳରେ, ଉତ୍କଳ ଦେଶେ ଛତ୍ରଭଙ୍ଗ ।

ସେ କାଳେ ଛାତିକି, ଫୁଲାଇ ଛତିକି, ଟେକାଇ ଅଛି ଉତ୍ତମାଙ୍ଗ ।।

ଲାଖରାଜ ରାଜେ ଭୂମି ତିନିବାଟି ସେ ମୋର ପଡ଼ିଛି ବନ୍ଧାରେ ।

ଅଷ୍ଟପ୍ରାଣୀ ମୋର କଷ୍ଟ ପାଉଛନ୍ତି ପଡ଼ିଚି ମୁଁ ମହା ଧନ୍ଦାରେ ।

ମଣିମା ସରିଲି ସରିଲି ସରିଲି ।

ହାତୁଣୀ ବଲ୍ଲଭ ଦ୍ୱାରାନୁସରଣେ ନାତୁଣୀବଲ୍ଲଭେ ପେଷିଲି ।’’

(ହାତୁଣୀ-ବଲ୍ଲଭ-ହାତୀ । ରଣପୁରରେ ଗୋଟିଏ ହାତୀଦ୍ୱାରା ।

 

(୧୨) ଏକ ସମୟରେ ଖଣ୍ଡପଡ଼ା ରାଜା ପାହାଡ଼ ଉପରେ ହାତୀରେ ଯାଉଥିଲେ । ସେହି ସମୟରେ ନୟାଗଡ଼ ରାଜା ପାହାଡ଼ର ପାଦ ଦେଶରେ ସୁଆରିରେ ଯାଉଥିବାର ଦେଖି ଖଣ୍ଡପଡ଼ା ରାଜା ଓ ତଦନୁଚର ବର୍ଗ ହସିଲେ । ତହୁଁ ଯଦୁମଣି ନୟାଗଡ଼ ରାଜାଙ୍କ ପକ୍ଷାବଲମ୍ୱନ କରି ନିମ୍ନୋକ୍ତ କବିତାଟି ବୋଇଲେ ।

‘‘ନିକିତ ତଉଲ ସାନବଡ଼କୁ, ଭାରି ଯେହୁ ସେହୁ ଯାଏ ତଳକୁ ।’’ ଏଥିରେ ଖଣ୍ଡପଡ଼ା ରାଜା ଓ ତଦନୁଚରମାନେ ଲଜ୍ଜିତ ହେଲେ ।

(୧୩) ଖାର୍ଦ୍ଧା ଇଲାକାରେ ବଡ଼ପାରି ନାମକ ଏକ ମୌଜା ଅଛି । ସେଠାରେ ଏକ ସରବରାକାର, ତାଙ୍କର ପଦବୀ ଭ୍ରମରବର । ଏକ ଦିନ ଯଦୁମଣି ସେଠାକୁ ଯାଇଥିଲେ । ସେହିଦିନ ସେ ସରବରାକାରଙ୍କର ଗୋଟିଏ ଗାଭୀ ପ୍ରସବ ସକାଶେ କଷ୍ଟ ପାଉଥିଲା । ସେହି ସମୟରେ ଭ୍ରମରବର ଯଦୁମଣିଙ୍କୁ ପଚାରିଲେ, ‘ଯଦୁମଣି ଏ ଗାଈକଣ ପ୍ରସବ କରିବ, ଅର୍ଥାତ ମାଇ କି ଅଣ୍ଡିରା ?’ ତହୁଁ ଯଦୁମଣି କହିଲେ, ‘‘ଏ ଗୋଟିଏ ଅଣ୍ଡିରା ବାଛୁରୀ ପ୍ରସବ କରିବ ‘ତେବେ ତୁମ୍ଭଙ୍କୁ ଦେବି, ମାଇ ବାଛୁରୀ ପ୍ରସବ କଲେ ଆମ୍ଭେ ରଖିବୁଁ’ କିଛିକ୍ଷଣ ପରେ ସେ ଗୋଟିଏ ଅଣ୍ଡିରା ବାଛୁରୀ ପ୍ରସବକଲା । ତହୁଁ ସରବରାକାର କହିଲେ, ‘‘ଦୁଧ ଛାଡ଼ିଲେ ନେଇଯିବ’’ କିଛିଦିନ ପରେ ସେ ଅଣ୍ଡିରା ବାଛୁରୀ ଅନ୍ଦାଜ ଟ ୫୦୧ଙ୍କାର ହେଲା । ଯଦୁମଣି ଦୁଇଚାରି ଥର ସେ ବାଛୁରୀ ଲୋଭରେ ଆସିଲେ । କିନ୍ତୁ ସରବରାକାରଙ୍କର ଲୋଭ ହେବାରୁ ସେ ନଦେଇ ଟାଳଟଳୁ କଲେ । ତହୁଁ ଯଦୁମଣି ବିରକ୍ତ ହୋଇ ଭ୍ରମରବରଙ୍କୁ ନିମ୍ନୋକ୍ତ କବିତାଦ୍ୱାରା କହିଲେ–

‘‘ଗଡ଼ ବଡ଼ପାରି ଓଡ଼ ଭ୍ରମରା, ବଡ଼ଭାଡ଼ିସୁଆ ମୋଡ଼ା ଭଅଁରା ।

ହସ୍ତେ ଅଟାବାଡ଼ ମୁଖେ କାହାଳି, ନିର୍ଧୂମ ଧୂଆଁ ଦେଉଥାନ୍ତି ଗିଳି ।

ଏ ଜାତିଙ୍କ ଠଣା, ମଦତପାନେ ନଥାଇ ଠିକଣା ।’’

(୧୪) ମନ୍ଦର ବେବର୍ତ୍ତା ନାମରେ ଜଣେ ଖଣ୍ଡପଡ଼ାର ପାତ୍ର ହୋଇଥିଲେ । ସେ ଧନମଦରେ ମତ୍ତହୋଇ ଯଦୁମଣିଙ୍କୁ ଅନାଦର କରିଥିଲେ । ତାଙ୍କ ପିତା ହାଡ଼ୁପାତ୍ର ବଡ଼ ଦରିଦ୍ର ଥିଲେ, ତେଣୁ ଯଦୁମଣି ମନ୍ଦର ବେବର୍ତ୍ତାଙ୍କର ଏପରି ଆଡ଼ମ୍ୱର ଦେଖି ଏ କବିତାଟି ବୋଇଲେ-

‘‘ହାଡ଼ୁପାତ୍ର ପୁଅ ରୀତି ଏସନ, ଗାଡ଼ୁପାତ୍ରେ ନ ମିଳଇ ବାସନା ନାଡ଼ୁଅଛି କର୍ଣ୍ଣେ ଗଜ ମୁକୁତା, ତାଡ଼ୁଅଛି ମହାଶମ୍ଭୁ ଦେବତା । ପାଡ଼ୁଛି ପାଟରେ, ମାଡ଼ୁଛି ଜରୀ ଜୋତାକୁ ବାଟରେ ।’’

(୧୫) ଖଣ୍ଡପଡ଼ାର ମହିମାମେରୁ ପ୍ରତିଷ୍ଠା ହୋଇ ସ୍ଥାପିତ ହେବା ସମୟରେ ଯଦୁମଣି ଖଣ୍ଡପଡ଼ା ଯାଇଥିଲେ । ରାଜା ମହିମାମେରୁଙ୍କ ଦର୍ଶନ କଲା ସମୟରେ ଯଦୁମଣି ସେଠାରେ ଉପସ୍ଥିତ ଥିଲେ, ସେହି ସମୟରେ ମହିମାମେରୁଙ୍କର ବଲ୍ଲଭମୂଆଁ ଭୋଗ ହୋଇଥିଲା ।

ରାଜା କହିଲେ, ଯଦୁମଣି । ଏ ‘‘ଦୀଅଁଙ୍କନାମ ମହିମାମେରୁ ଦିଆ ହୋଇଛି ।’’ ତହୁଁ ଯଦୁମଣି କହିଲେ, ସବୁଠାରେ ଗୁଡ଼ ଓ ଲିଆ ମିଶି ମୁଆଁ ହେଉଅଛି । ରାଜା ଯଦୁମଣିଙ୍କୁ କହିଲେ, ଆଜି କାନ୍ତିପଣା ଓ ବଲ୍ଲଭ ମୁଆଁ ତୁମ୍ଭଙ୍କୁ ଦିଆହେବ । ଚର୍ଚ୍ଚା ବେହେରା ଉକ୍ତ ପଦାର୍ଥମାନ ଯଦୁମଣିଙ୍କ ବସାରେ ଦେଇଆସିଲା । ମାତ୍ର ଆଉକିଛି ଖର୍ଚ୍ଚ ଦେଲା ନାହିଁ । ଯଦୁମଣି ରାତିରେ ତାହା ଖାଇ ନ ପାରି ବିରକ୍ତ ହୋଇ ପରଦିନ କବିତାଟି ପଢ଼ିଲେ–

‘‘କାନ୍ତି କାନ୍ତି ଦେଖିମନେ ହେଲା ଭ୍ରାନ୍ତି, କେମନ୍ତେ କରିବି ଆହାର

ଖଣ୍ଡପଡ଼ା ନାମ ମୁଖେ ଉଚ୍ଚାରନ୍ତେ ତକ୍ଷଣେ ହୋଇଲା ମଧୂର ।।

ଚରଚା ବେହେରା ଖରଚା ନଦେଇ ଫରଚା ହୋଇଣ ଗଲା ।

ଉପବାସୀ ଉପବାସେ ରହି ରହି ତେବେ ନିଶି ନ ପାହିଲା ।’’

 

(୧୬) ଓଡ଼ିଶା ମହାରାଜାଙ୍କର ଏକଦିନେ ଯଦୁମଣିଙ୍କ ସହିତ ସାକ୍ଷାତ ହେଲା । ସେହିଦିନ ଧନୁସଂକ୍ରାନ୍ତି ହୋଇଥିଲା । ମହାରାଜା ଯଦୁମଣିଙ୍କୁ ପ୍ରଶ୍ନ କଲେ । ମହାପାତ୍ରେ କଣ ଇଚ୍ଛା-?’’ ତହୁଁ ଯଦୁମଣି ନିମ୍ନୋକ୍ତ କବିତା ଦ୍ୱାରା ମହାରାଜାଙ୍କୁ ଜଣାଇଲେ ।

 

ଧନୁ ମାସ ହେଲା ହନୁ ନ ଚଳିଲା କହିବାକୁ ବଡ଼ ଲାଜ,

ମୁଆଁ କରିଅଛି ମୁଆଁ ଖାଇବାକୁ ଦେବା ହେଉ ମହାରାଜ ।’’

ତତ୍‌କ୍ଷଣାତ୍‌ ମହାରାଜ ପ୍ରୀତ ହୋଇ ଯଦୁମଣିଙ୍କ ବସାକୁ ମୁଆଁ ପଠାଇ ଦେଲେ ।

(୧୭) ଖଣ୍ଡପଡ଼ାର ରାଜା କୁଞ୍ଜବିହାରୀ ସିଂହ ମର୍ଦ୍ଦରାଜ ଭ୍ରମର ବର ରାୟଙ୍କ କଠାଉ ଚୂଳିକୁ ଲକ୍ଷ୍ୟ କରି ନିମ୍ନୋକ୍ତ କବିତାଟି ବୋଲିଥିଲେ ।

ନୀଳମାଧବ ନିଳୟଧାରୀ ଧରାକ୍ଷତ୍ରିୟକୁଳ କମଳାଙ୍କ ।

କୁଞ୍ଜବେହାରୀ କୁଞ୍ଜରାରୀ ଶ୍ରୀ ମର୍ଦ୍ଦରାଜ ଭ୍ରମରବର ରାଜାଙ୍କ ।

ପଦାବ୍‌ଜ, ଧାମରମ୍ୟ ରମା ହୀରକ ।

ତାଟଙ୍କ ଶଙ୍କା ଅଙ୍କୁରାଏ ପାଦୁକା ଦନ୍ତିଦନ୍ତ ଚୂଳି ଯୋଡ଼ିକ ।

ନୀଳମାଧବ ଯେଉଁ ରାଜ୍ୟରେ ଅଛନ୍ତି ସେହି ରାଜ୍ୟ କ୍ଷତ୍ରିୟ ।।

ଚନ୍ଦ୍ର କୁଞ୍ଜବେହାରୀ ସିଂହ ଭ୍ରମରବରରାୟଙ୍କ ହାତୀଦାନ୍ତ କଠାଉ ଚୂଳି ଲକ୍ଷ୍ମୀଙ୍କ ହୀରକ ତାଟଙ୍କପରି ଦିଶୁଛି ।

କାଳେ କେହି ହାତୀଦାନ୍ତକୁ ପ୍ରଶସ୍ତ ଭୂଷଣ ବୋଲି କହିବେ ନାହିଁ ସେଥିପାଇଁ ଯଦୁମଣି କହିଅଛନ୍ତି–

‘‘ଭୂଷଣ ପ୍ରଶସ୍ତି ଦନ୍ତି ଦନ୍ତେ ନାସ୍ତି ଗ୍ରସ୍ତବ ବା ଆଜ୍ଞା ଅବଜ୍ଞା । କନକ କୁଳିଶ ନୀଳ ଗଜଦନ୍ତ ପ୍ରବାଳ ପଞ୍ଚରତ୍ନ ସଂଜ୍ଞା ।’’

(୧୮) ଦିନେ ଯଦୁମଣି ନୟାଗଡ଼ ରାଜାଙ୍କୁ ନିମ୍ନୋକ୍ତ କବିତାରେ ନିନ୍ଦା ଗର୍ଭକୁ ସ୍ତୁତି କରିଥିଲେ ।

‘ନବଦୁର୍ଗ ରାଣ ଇଷ୍ଟଦେବତା ପରି ଆଚରଣ ।

ବାଉରୀ ଠାକୁରାଣୀ ନୟାଗଡ଼ ରାଜାଙ୍କ ଇଷ୍ଟଦେବତା ।।

 

(୧୯) ରାଜା ଯଦୁମଣିକୁ କିଛି ଜମି ଦେବା ସକାଶେ କହିଥିଲେ ମାତ୍ର ଖଣ୍ଡିଏ ଢିପଜମି ଦେବାରୁ ଯଦୁମଣି ନିମ୍ନୋକ୍ତ କବିତା ଲେଖି ରାଜାଙ୍କୁ ଦେଲେ ।

 

‘‘ଦେଉ ଯାହା ଦେଲେ ହରଷେ । କରଣ ତା କଲେ ବରଷେ ।

ବାଛି ବାଛି କରି ଦେଲେ ପଡ଼ିଆ । ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ ।

ଏମନ୍ତ ସେ ଭୂଇଁ । ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।’’

 

(୨୦) ଯଦୁମଣି ରାଜାଙ୍କୁ ଶୀତ ସମୟରେ ଏ କବିତା ଦ୍ୱାରା ଦୁଇଗୋଟି ମନ୍ଦୁରା ମାଗିଥିଲେ ।

 

‘‘ଘୋଡ଼ା ଘୋଡ଼ି ହୋଇ ଶୋଇବା ପାଇଁକି ଘୋଡ଼ାଘୋଡିଙ୍କର ଘର ଯୋଡ଼ାଏ ଲୋଡ଼ା ମୋହର

ତୋଡ଼ାରୁ ଥୋଡ଼ାଏ ଆଜ୍ଞା ହେଉ ମୋତେ ନବଦୁର୍ଗ ଧରେଶ୍ୱର’’

 

(୨୧) ଯଦୁମଣି, ଚନ୍ଦନ ଯାତ୍ରା ସମୟରେ ପୁରୀକୁ ଆସି ନରେନ୍ଦ୍ର କୋଣରେ ବସା କରିଥିଲେ । ଏକଦିନ ଯଦୁମଣି ବସାଘର ଦାଣ୍ଡଦୁଆରେ ନିଜେ ବସି ଅଛନ୍ତି । ବେଶ୍ୟାମାନଙ୍କ ମଧ୍ୟରୁ ଏକଜଣ ତନୁ ନାମକ ବେଶ୍ୟା ବାଟରେ ଗୋବର ମାଡ଼ିଲା । ଯଦୁମଣି ବସିଥିବା ଦୁଆରେ କେତେକ ବାଉଁଶ ଜମାଥିଲା । ସେ ବାଉଁଶରେ ତନୁ ଗୋଡ଼ ପୋଛିଦେଲା ତହୁଁ ଯଦୁମଣି ନିମ୍ନୋକ୍ତ କବିତାଟି କହିଲେ ।

 

‘‘ମାଉଁସ ଦି’ ପଳ ତନୁ

ବାଉଁଶ ଅଗରେ ଗୋଡ଼ ପୋଛିଦେଲା ଅଳପ ଟେକିଣ ଜାନୁ ।

 

(୨୨) ଚକ୍ରପାଣି ପଟ୍ଟନାୟକ ନାମକ ଜଣେ କବି ନୟାଗଡ଼ ରାଜାଙ୍କ ନିକଟକୁ ଆସିଥିଲେ । ଯଦୁମଣି ସହିତ ତାହାଙ୍କ ପ୍ରଥମ ସାକ୍ଷାତ ହେବା କାଳରେ ଚକ୍ରପାଣି ଯଦୁମଣିଙ୍କୁ ପଚାରିଲେ ଏଠାରେ କେହି କବି ଅଛନ୍ତି ଯଦୁମଣି କହିଲେ ‘‘ପ୍ରଧାନ ପ୍ରଧାନ କବି ଯଦି ଆପଣଙ୍କର କିଛି ପଚାରିବାର ଥାଏ ତାହାହେଲେ ପ୍ରଶ୍ନ କରନ୍ତୁ ।’’ ତହୁଁ ଚକ୍ରପାଣି କେତେ ଗୁଡ଼ିଏ ପ୍ରଶ୍ନ କଲେ ।

 

ପ୍ରଥମ ପ୍ରଶ୍ନ ।

(୨୩) ପ୍ରମଥ କେଶରୀ ଗଜକପୋଳକୁ ନ ଚିରଇ କଦାଶ୍ଚିତେ ? ଯଦୁମଣିର ପୂରଣ ‘‘ମହିଷାରିରଥ [୧] ଗଣନାଥ ମାଥ କଇଳାସ ପରବତେ [୨] ସିଂହ କଦାସ୍ଥିତେ-କେଉଁଠାରେ ଥାଇ ।’’

ଦ୍ୱିତୀୟ ପ୍ରଶ୍ନ ।

(୨୪) କିମ୍ପା ପ୍ରଶଂସିବା ପ୍ରଶଂସା ପଦବୀଅଛି ବୋଲି ବଳା ରାତିରେ ଯଦୁମଣିର ପୂରଣ-ମୂକ କରିଅଛି ଯେ ବାଳାମଣିର ଶ୍ରୀ ଚରଣ ବଳାରାତିରେ ।

ଏହାର ଭାବାର୍ଥ

ଚକ୍ରପାଣି ପଚାରିଲେ ଇନ୍ଦ୍ରଙ୍କୁ ପ୍ରଶଂସା କି ହେତୁ କରିବା । ତହୁଁ ଯଦୁମଣି କହିଲେ, ‘‘ଯେଉଁ ପୁରୁଷ ବାଳାମଣିର [ସ୍ତ୍ରୀର] ପାଦ ବଳାକୁ ରାତିରେ ମୂକ କରିଅଛି, ଅର୍ଥାତ୍‌ ବିପରୀତ ରତିସୁଖ ଭୋଗ କରିଅଛି, ସେ କାହିଁକି ପ୍ରଶଂସା କରିବ ।

୩ୟ ପ୍ରଶ୍ନ ।

(୨୫) ‘‘କେଉଁ ସମୟରେ, ବଧୁ ଶ୍ୱଶୁର ସଙ୍ଗ ଇଚ୍ଛା କରେ ।’’ ଯଦୁମଣିର ପୂରଣ-‘‘ଦ୍ରୌପଦ ନନ୍ଦିନୀ ଚାରୁ ସୁକେଶୀ । ଭୀମ ବୀର ସଙ୍ଗେ ସୁରତେ ରସି । ଗବାକ୍ଷ ପାଶରେ ବସି ବିରସେ । ଲୋଡ଼େ ଯେତେବେଳେ ପବନକୁ ସେ । ସେହି ସମୟରେ, ବଧୁ ଶ୍ୱଶୁର ସଙ୍ଗ ଇଚ୍ଛା କରେ ।’’

୪ର୍ଥ ପ୍ରଶ୍ନ ।

(୨୬) କାଣୀ ଗଣିକା, ଏହି ପଦକୁ ବାମରୁ ଦକ୍ଷିଣକୁ ଏବଂ ଦକ୍ଷିଣରୁ ବାମକୁ ପଢ଼ିଲେ ଯେପରି ଏକ ପଦ ବୋଲି ବୋଧ ହେଉଅଛି । ଏହାର ଦକ୍ଷିଣ ଓ ବାମ ପାର୍ଶ୍ୱରେ ସମାନ ସଂଖ୍ୟକ ବର୍ଣ୍ଣ ବିନ୍ୟାସ କରି ସେହିପରି ଗୋଟିଏ ବାକ୍ୟ ରଚନା କର ? ତହୁଁ ଯଦୁମଣି କହିଲେ–

 

‘‘କଡ଼ାକୁ କାଣୀ ଗଣିକାକୁ ଡ଼ାକ’’

 

(୨୭) ଯଦୁମଣି ଚକ୍ରପାଣି ପଟ୍ଟନାୟକଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ ତାହା ନିମ୍ନରେ ଦିଆଗଲା । ମାତ୍ର ଚକ୍ରପାଣି ଉତ୍ତର ଦେଇପାରି ନାହାନ୍ତି ।

 

‘‘ଛବିରେ କେ ଜିଣେ ନବରବିଙ୍କି, କେ ପେଟ ପୋଷେ ଧନୁଶର ବିକି, ଜଳଠାରେ ଭୀତି ତାହାର ନିତି, କାର ଭୟ ନାହିଁ ଉରଗ ପ୍ରତି ବିଚାରି କହିବ, ଚାରିପଦାର୍ଥ ଏକ ହୋଇଥିବ ।’’ [ଅବିର]

 

୧ମ ପାଦର ଅର୍ଥ-ଅବିର ଅର୍ଥାତ୍‌ ଫଗୁ ।

 

୨ୟ ପାଦର ଅର୍ଥ-ଅବୀର ଯେ ବୀର ନୁହେ ।

 

୩ୟ ପାଦର ଅର୍ଥ [ଛେଳି]ର ଛେଳିର ।

 

୪ର୍ଥ ପାଦର ଅର୍ଥ-ଅ[ବିଷ୍ଣୁ]ବି [ପକ୍ଷି]ର ।

 

[୨୮] ଯଦୁମଣି ଆମ୍ୱୁଲ ଦୁଇଖଣ୍ଡ ନିମ୍ନୋକ୍ତ କବିତା ଦ୍ୱାରା ମାଗିଥିଲେ–

 

‘‘ଅଚ୍ୟୁତ ଖଣ୍ଡା ଚ୍ୟୁତ ହୋଇଥିବ । ଆନନ୍ଦ ମୂଳକ ଦ୍ୱିଖଣ୍ଡ ଦେବ ।’’

 

[୨୯] ଯଦୁମଣି ରାଜାଙ୍କୁ ନିମ୍ନୋକ୍ତ କବିତା ଦ୍ୱାରା ଘୋଡ଼ାଟିଏ ମାଗିଥିଲେ, ନୋହିବ ହରିଣ ନୋହିବ ଗାଈ, ଘୋଡ଼ା ନାମ ବହି ହୋଇବ ମାଈ ।। ପିଇବ ତୋରାଣି ଖାଇବ କୁଣ୍ଡା, ତେବେ ଯଦୁମଣି ହୋଇବ ଭେଣ୍ଡା ।।

 

ହରିଣ ପରି ଚଞ୍ଚଳ ବା ଗାଈ ପରି ମଠୁଆ ନ ହେବ ।

 

[୩୦] ନୟାଗଡ଼ ରାଜାଙ୍କର ରାଣୀହଂସପୁର ଅଗଣାରେ ଦୁଇ ଗୋଟି ବର ଅଶ୍ୱତ୍‌ଥ ଗଛ ଅଛି । ଏକଦିନରେ ସେ ଗଛ ଉପରେ ଦୁଇ ଗୋଟି ବାନର ରତି କରୁଅଛନ୍ତି । ଏହି ସମୟରେ ରାଜାଙ୍କ ଉଆସ ଅଗଣାରେ ଯଦୁମଣି ସହିତରେ ରାଜା ଅନ୍ୟାନ୍ୟ ବିଷୟ କଥୋପକଥନ ହେଉଛନ୍ତି । ଏମନ୍ତ ସମୟରେ ରାଣୀ ବଟବୃକ୍ଷ ଉପରେ ଥିବା ବାନର ବାନରୀଙ୍କର ରତି ଦେଖି, ମଝି ପାଚିରୀରେ ଥିବା ଗବାକ୍ଷମାର୍ଗରେ ରାଜାଙ୍କ ଶ୍ରୀଅଙ୍ଗକୁ ଗୋଟିଏ ଫୁଲମଣ୍ଡା ନିକ୍ଷେପ କଲେ । ତହୁଁ ରାଜା ଯଦୁମଣିଙ୍କୁ ପ୍ରଶ୍ନ କଲେ–

 

ପ୍ରଶ୍ନ-ମନେ କି ପାଞ୍ଚିଲା ? ହସି ଫୁଲମଣ୍ଡା ପକାଇ ଦେଲା । ଯଦୁମଣିର ଉତ୍ତର-‘ବଟବୃକ୍ଷ ପରେ ବାନରୀ ରତ । ଦେଖି ବାନ୍ଧବୀର ବଳିଲା ଚିତ୍ତ । ମନେ ସେ ଇଚ୍ଛିଲା । ହସି ଫୁଲମଣ୍ଡା ପକାଇ ଦେଲା ।

 

[୩୧] ଦିନେ ରାଜା ଦେବାର୍ଚ୍ଚନ ସମୟରେ ଧାତୁ ବିଗ୍ରହ ପ୍ରତିମାକୁ ପୂଜା କରୁଥିବାର ଦେଖି ଯଦୁମଣି କହିଲେ–

 

‘‘କେଉଁଠାରେ ଖଡ଼ୁ ଗଢ଼ୁ କେଉଁଠାରେ ମୁଦି ।

କେଉଁଠାରେ ବୋଲାଉଛ କରୁଣାବାରିଧି ।’’

 

ପିତ୍ତଳରେ ଖଡ଼ୁ ଗଡ଼ୁ ମୁଦିହୁଏ, ମଧ୍ୟ ଦେବୀ ପ୍ରତିମାଦି ହୁଏ ।

 

[୩୨] ଯଦୁମଣି ଏକ ଗଉଡ଼ୁଣୀକୁ ପଚାରିଲେ ଆଟିକାଏ ଦୁଧର ମୂଲ୍ୟ କେତେ ? ସେ ଗଉଡ଼ୁଣି ପଣ୍ଡିତା ଥିଲା ଯଦୁମଣିର ରହସ୍ୟୋକ୍ତି ବୁଝି ପାରି କହିଲା, ବଢ଼ାକର ମୂଲ୍ୟ କେତେ ।

 

[୩୩] ପୁରୀର ଜଗନ୍ନାଥ ରାୟଗୁରୁ ସାକ୍ଷାତ ହେବାରୁ ଯଦୁମଣି ନିଜେ କବି ବୋଲି ପରିଚୟ ଦେଲେ । ଜଗନ୍ନାଥ । ରାୟଗୁରୁ ଗୋଟିଏ ସୁନ୍ଦରୀ ସ୍ତ୍ରୀକୁ ଦେଖାଇ କହିଲେ-‘‘ଏ ଧନ ଦରପଣ ମୁହିଁ ।’’

 

ଯଦୁମଣି କହିଲେ–

 

‘‘ଅଙ୍କେ ବସାଇଲେ ନ ଗଣନ୍ତି ଆଉ ଧନ ଦରପଣ ମୁହିଁ ।’’

 

[୩୪] ରାଜା ଗୋଟିଏ ବସନ୍ତ ମୁହିଁ ସ୍ତ୍ରୀକୁ ଦେଖାଇ କହିଲେ–‘‘ବସନ୍ତ ମୁହିଁକୁ ଉପମାଖଟୁ ।’’

 

ଯଦୁମଣି କହିଲେ–

 

‘‘କାମ କାକରା ଛଙ୍କା ଜାଲିଚଟୁ ।’’

 

[୩୫] ଏକଦିନେ ଯଦୁମଣି ଆଠଗଡ଼କୁ ଯାଇଥିଲେ । ବିଶି ପ୍ରହରାଜଙ୍କର ଦେହୁଡ଼ିରେ ରାତ୍ରକୁ ଶୋଇଅଛନ୍ତି, ଏମନ୍ତ ସମୟରେ ପ୍ରହରାଜେ ରାଜାଙ୍କ ଉଆସରୁ ଅନ୍ଧାରରେ ଆସିଲେ । କିଛିକ୍ଷଣ ପରେ ଆଖଡ଼ା ପିଲା ଆସିଲା, ତା ଆଗରେ ଭଣ୍ଡାରି ମଶାଲ ନେଇ ଆସୁଅଛି, ଏ କଥା ଯଦୁମଣି ଦେଖି ନିମ୍ନୋକ୍ତ କବିତାଟି କହିଲେ-

 

‘‘ଧନ୍ୟ ଆଠଗଡ଼ ଲୀଳାରେ । ବିଶି ପ୍ରହରାଜେ ଅନ୍ଧାରେ ଆସନ୍ତି ଚାକରଙ୍କ ହାତେ ହୁଳାରେ ।’’

 

[୩୬] ଏକଦିନେ ନୟାଗଡ଼ ରାଜା ତାମଯାନରେ ଆରୋହଣ କରି ନଗର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ଏକ ସୁନ୍ଦରୀ ଦରଜି କନ୍ୟାକୁ ଦେଖି ଯଦୁମଣିଙ୍କୁ କହିଲେ ବର୍ତ୍ତମାନ ଏ ସୁନ୍ଦରୀକୁ ଲକ୍ଷ୍ୟକରି ଗୋଟିଏ କବିତା ବୋଲ ? ତହୁଁ ଯଦୁମଣି ଏହି କବିତାଟି ବୋଇଲେ ।

 

‘‘ଦରଜି କୁଳରେ ସରଜି ଅଛି ଯେ ବିଧୁ ସମତୁଲ ହାସ । ମରଜି ବୁଝି ମୁଁ ଅରଜି ଦେବାକୁ ପାଉନାହିଁ ଅବକାଶ । ମଉଳି ପଛକେ ଯିବ, ମଉଳି ନଥିବା ଜବା ଅଧରୀକୁ ଅଭୋଗେ କେ ବରଜିବି ।

 

[୩୭] ଦିନେ ରାଜା ଯଦୁମଣିଙ୍କୁ ବ୍ୟଙ୍ଗୋକ୍ତି କରି କହିଲେ, ‘ଯଦୁମଣି, ଚାଲ ତୋଟାକୁ ଯିବା । ଯଦୁମଣି କହିଲେ, ‘ମୁଁ ଟିକେ ତୋରାଣୀ ସାରି ଆସେ । ରାଜା ହସି ପୁରସ୍କାର ଦେଲେ ।

 

[୩୮] ଦିନେ ରାଜା ଯଦୁମଣିଙ୍କୁ କୁଶଳ ପ୍ରଶ୍ନ ପଚାରନ୍ତେ ଯଦୁମଣି କହିଲେ–

 

‘‘ଯେଉଁ ଦିନ ଆମ୍ଭେ ଏଠାକୁ ଅଇଲୁଁ ସେହୁ ଦିନୁ ହେଲାଖଡ଼ା,

ଲେମ୍ୱୁ ନାରଙ୍ଗରେ ହାତ ନ ପଡ଼ିଲା ଭାତ ଖିଆ ହେଲା ଛଡ଼ା ।

ଆଳୁ କଦଳିରୁ କି ସୁଖ ମିଳିବ ସେତ ଲୋଡ଼ୁଥାଏ ସାଥି,

କହେ ଯଦୁମଣି କରମଙ୍ଗା ହେଲେ କିଛି ବା ରୁଚନ୍ତା ପଥି ।

 

[୩୯] ରାଜା ଗୋଟିଏ ସ୍ତ୍ରୀର ମସ୍ତକରେ କଜ୍ଜ୍ୱଳ ବିନ୍ଦୁ ଦେଖି ଯଦୁମଣିଙ୍କୁ ପଚାରିଲେ–

 

‘‘କି ଜାଣିଣ ବନ୍ଧୁ । ଚମ୍ପା ଫୁଲେ ଦେଲା କଜ୍ଜ୍ୱଳବିନ୍ଦୁ ।’’

 

ଯଦୁମଣିଙ୍କ ଉତ୍ତର–

 

ରାଜାପୂର୍ଣ୍ଣମୁଖୀ ବିଚାରେ ମନ । ଭ୍ରମର ଏ ଫୁଲ ନ କରେ ପାନ,

ଚଟୁଳ ସ୍ତନା ଏମନ୍ତ ବିଚାରେ । ଦେଖିବାତ ଦେଖି କି ଶୋଭାଧରେ ।

ସେହି ହେତୁ ବନ୍ଧୁ, ଚମ୍ପାଫୁଲେ ଦେଲା କଜ୍ଜ୍ୱଳ ବିନ୍ଦୁ ।

 

[୪୦] ଏକଦିନେ ଯଦୁମଣି କୌଣସି କାରଣବଶତଃ ଆପଣା ପିତାଙ୍କୁ ଅପମାନସୂଚକ ବାକ୍ୟ କହିଥିଲେ । ତାଙ୍କପିତା ମନଦୁଃଖରେ ନୟାଗଡ଼ ରାଜାଙ୍କ ନିକଟକୁ ଯାଇ ଯଦୁମଣିଙ୍କ ନାମରେ ଗୁହାରୀ କରିବାରୁ ରାଜା ତାଙ୍କୁ ବସାଇ ଯଦୁମଣିଙ୍କୁ ପାଇକ ଦ୍ୱାରା ଡକାଇଲେ ଯଦୁମଣି ରାଜାଙ୍କ ଡକରାରେ ନ ଆସି ସେହି ପାଇକ ଦ୍ୱାରା ନିମ୍ନୋକ୍ତ କବିତାଟି ଲେଖି ପଠାଇଲେ ।

 

‘‘ଅଣକ ଗୋଳୁଛି ପେଟ କଣକ ପାଇଁ ।

ସଭାରେ ବସିଛି ସେ ଜଣକ ପାଇଁ ।’’

 

[୪୧] ଜଣେ ତେଲି ରାଜାଙ୍କଠାରୁ କେତେକ ଟଙ୍କା ମାଗଆଣି କେତେକ ବେଠିଆଙ୍କ ସାହାଯ୍ୟରେ ଖଣ୍ଡିଏ ମଣ୍ଡପ ତୋଳାଇ ଆପଣା ନାମରେ ପ୍ରତିଷ୍ଠା କରିବାରୁ ଯଦୁମଣି ଏହି କବିତାଟି ବୋଲିଥିଲେ ।

 

ସରିଲା ରାଜାଙ୍କ ଗଣ୍ଠି । ପରଜାଏ କଲେ ବେଠି ।

ଏମନ୍ତ ମଣ୍ଡପ ପ୍ରତିଷ୍ଠା ଚାଉଳ ତେଲି ମୁଣ୍ଡେ ହେଲା ବୃଷ୍ଟି ।

 

[୪୨] ଯଦୁମଣି ନିକଟକୁ କବିସୂର୍ଯ୍ୟ ଗୋଟିଏ କବିତା ରହସ୍ୟରେ ଲେଖି ପଠାଇଲେ, ତାହା ଏହି ।

 

‘‘ନାହିଁ ବାରୁଦ ଆଉ ଗୋଲାସଜ, ବଡ଼ ଉତ୍କଟ ସେ ତୋପଆବାଜ ।

ଜାମୁକୀ ଅନଳ ଦେଖିଲା ନାହିଁ, ଚମକି ପଡ଼ିଲା ଘୁମୁକୀ ମୁହିଁ ।

ସେହି ପାତାଳକୁ, ଆଗକରି ଦହି ଦେଲା ସ୍ୱର୍ଗକୁ ।’’

ସ୍ୱର୍ଗ-ନାକ, ନାସିକା ।

ଉପରୋକ୍ତ କବିତାର ଅର୍ଥ ଗୁହ୍ୟବାୟୁ ।

 

ଯଦୁମଣି ତାହା ବୁଝିପାରି ନିମ୍ନୋକ୍ତ କବିତା ତାଙ୍କ ନିକଟକୁ ଲେଖି ପଠାଇଲେ–

 

‘‘ପାର୍ଥ ଧନୁ ନାମ ରାଇଲା ବେଳେ, ଭୀମତାତ ଜାତ ହେଲେ ସେ କାଳେ । ବଡ଼ ବିଜ୍ଞପଣ, ଆମ୍ଭ ପାଖକୁ ଲେଖିଛ ଆପଣ ।’’

 

ଭୀମ ତାତ-ପବନ ।

 

[୪୩] ଏକଦିନେ ଯଦୁମଣିଙ୍କୁ ତାଙ୍କର ସଙ୍ଗାତ ଖାଇବାକୁ ନିମନ୍ତ୍ରଣ କରିଥିଲେ । ସେ ଯେଉଁ ହରଡ଼ ଡାଲି କରିଥିଲେ ତାହା ସିଝି ନ ଥିଲା । ଏବଂ କେରାଣ୍ଡି ମାଛ ତିଅଣରେ ବେଶି ପାଣି ଥିଲା ତାହା ଦେଖି ଯଦୁମଣି ନିମ୍ନୋକ୍ତ କବିତାଟି କହିଲେ–

 

‘‘ଦନ୍ତେ ବାଜନ୍ତେ ରୁଡ଼ୁ ମୁଡ଼ୁ ବାଜିଲା ।

ଘୁଡ଼ୁ ଘୁଡ଼ୁ ବେଳରୁ ଓହ୍ଲାଇଥିଲା ।।

ଦରାଣ୍ଡି ଆଣିଥିଲା କେରାଣ୍ଡି ମାଛ ।

କେରାଣ୍ଡି ରାନ୍ଧିଅଛି ଦିଶଇ ସ୍ୱଚ୍ଛ ।।

 

[୪୪] ଯଦୁମଣିଙ୍କର କୌଣସି ନିମିତ୍ୟ ହୋଇ ଥିବାରୁ ତାହାଙ୍କର ସମସ୍ତ ବନ୍ଧୁ ଆସିଥିଲେ, ଯଦୁମଣି ଅଗଣାରେ ଭାଡ଼ାକରି ତହିଁରେ ଶିମ୍ୱ ମଡ଼ାଇଥିଲେ । ତାହା ତଳରେ ସମସ୍ତେ ବସି ଭୋଜନ କରୁଥିଲେ । ମାତ୍ର ତ୍ୟୁଣ ପାଣିଆ ହୋଇଥିବାରୁ ମନେ ମନେ ବିରକ୍ତ ହୋଇ ଯଦୁମଣିକୁ ଭୟ କରି କିଛି କହିଲେ ନାହିଁ । କିନ୍ତୁ ତାଙ୍କ ଶାଳକ ଯଦୁମଣିକୁ ଉକ୍ତ ବିଷୟ କହିବାକୁ ଉନ୍ମୁଖ ହେବାରୁ ଯଦୁମଣି କହିଲେ–

 

ଆରେ ଚହଟା, ଝଟା ଲଟାତଳେ ନ କର ହଟା ।

ମୋର ମାଇପ ତୋର ଭଉଣୀ, ତିଉଣରେ ଦେଲା ଆଣ୍ଠିଏ ପାଣି ।’’

 

(୪୫) ଗୋଟିଏ ସ୍ତ୍ରୀ ଏରୁଣ୍ଡୀ ବନ୍ଧ ଉପରେ ଗୋଡ଼ଥୋଇ ନାଗବନ୍ଧକୁ ଧରି ମେଘକୁ ଚାହୁଁଥିଲା, ଯଦୁମଣି ତାକୁ ଦେଖି ଏହା କହିଥିଲେ–

 

‘‘ଦିନେ ଯେ ବାଳାକୁ ସେ ପ୍ରେମଶୀଳାକୁ ଦଳାକଜ୍ଜ୍ୱଳକୁନ୍ତଳାକୁ । ଲମ୍ୱାଇ ତଳକୁ ସେ ମୋତି ମାଳାକୁ ଚାହିଁ ସେ ଥିଲା ଚଞ୍ଚଳାକୁ ।

 

ଦେଖିଲି, କର ପଦ୍ମ ଦେଇ ଶୀଳାକୁ ।

ନାସାପରେ ଥୋଇ ନଚାଉଥିଲା ତା ଚରଣ ବାଜେଣୀ ବଳାକୁ ।’’

ଶୀଳା-ନାଗବନ୍ଧ । ନାସା-ଏରୁଣ୍ଡିବନ୍ଧ ।

 

(୪୬) ପୁରୀରେ ଫକୀରୀମାହାରୀ ବୋଲି ଜଣେ ପଣ୍ଡିତା ବେଶ୍ୟାଥିଲା । ଯଦୁମଣି ତାକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହି କବିତାଟି ଲେଖି ପଠାଇଲେ-

 

‘‘ଗଦାଧର ନଗରୀ ନଦାଧିପଲହରୀ ଗର୍ବଚର୍ବକ ହାସେ ସ୍ତନଶମ୍ଭୁଙ୍କୁ କରାଇଛୁ ସ୍ନାନ । ମୋ ଆନନ୍ଦ କାମରେ ବିଚାର ମରମରେ ମୋ ମାଳୀ ନୋହିବୁ କି ଘେନାରେ । ରସବଲ୍ଲୀ ଛଇଳି ରତନର ଛାମୁଁ । ବିଚାରି ଗଲି ଏ ଇଚ୍ଛା ମୁଁ । ହାଜିର ହେଲେ ତୋର ସଗର ବାକୀ ଚୋର ପାଜି କରିବ ମୋତେ ଛାମୁରେ ।’’

 

ଭାବାର୍ଥ-ଗଦାଧର ନଗରୀ-ପୁରୁଷୋତ୍ତମ । ନଦାଧିପ ସମୁଦ୍ର ରେ ରସବଲ୍ଲି । ତୁ ହାସଦ୍ୱାରା ପୁରୁଷୋତ୍ତମ ନିକଟସ୍ଥ ସମୁଦ୍ର ଲହରୀର ଗର୍ବକୁ ଖର୍ବ କରିଅଛୁ । ସ୍ତନ ଶମ୍ଭୁକୁ ପୁଣି ସ୍ନାନ କରାଇଛୁ । ମୋତେ ଆନନ୍ଦ ଦେବା ବିଷୟରେ ତୁ ଅବଶ୍ୟ ଯୋଗ୍ୟାହେବୁ । ଏହାବିଚାରି ମୁଁ ତୋ (ଛାମୁ) ନିକଟକୁ ଗଲି, ତୋ ପାଖରେ ହାଜର ହେଲେ ସଗରବାଜୀ ଚୋର (ଇନ୍ଦ୍ର) ସେ ପାଜି ମତେ ଛାମୁ (ନମସ୍କାର) କରିବ । ତହୁଁ ସେ ବେଶ୍ୟା କହିଲା ଯେ ଚୋର ସେ ନମସ୍କାର କରଇ ନାହିଁ ଅଧିକ କି ହେଲା ? ଯଦୁମଣି କହିଲେ, ତୁ ବୁଝିପାରିବୁ କି ନାହିଁ ଏଥିପାଇଁ ସିନା ସେହିପରି ଲେଖିଥିଲି ଏବେ ଶୁଣି ‘‘ହାଜର ହେଲେ ନେତ୍ର ରାଜି ରାଜିତ ଗାତ୍ର ପାଳି କରିବ ମତେ ଛାମୁ ।’’

 

(୪୭) ଅନେକ ସ୍ତ୍ରୀ ପୁରୁଷ କାର୍ତ୍ତିକମାସ ପଞ୍ଚୁକ ସ୍ନାନ କରି ଜଗନ୍ନାଥ ଦେବଙ୍କ ଦର୍ଶନକୁ ସଡ଼କରେ ଯାଉଥିବାର ଦେଖି ରାଜା ଯଦୁମଣିଙ୍କୁ ଲକ୍ଷ୍ୟକରି କହିଲେ, ଏକାକରେ କେଉଁ ମାନେ ଯାଉଛନ୍ତି । ‘ତହୁଁ ଯଦୁମଣି କହିଲେ, ଏକାକରେ ଦ୍ୱିକରେ ସ୍ତ୍ରୀକର ଧରି ଚତୁସ୍କର ଦର୍ଶନକୁ ପଞ୍ଚକରେ ସଡ଼କରେ ଯାଉଅଛନ୍ତି । ଚତୁସ୍କର-ବିଷ୍ଣୁ-ଜଗନ୍ନାଥ, ରାଜା ପ୍ରକୃତ ଉତ୍ତର ପାଇ ଆନନ୍ଦିତ ହୋଇ ଯଦୁମଣିଙ୍କୁ ଅନେକ ପ୍ରଶଂସା କଲେ ।

 

(୪୮) ଯଦୁମଣି ପୁଅ ଚାଟଶାଳୀରେ ପଢ଼ିବା ସମୟରେ ଶ୍ରୀପଞ୍ଚମୀ ଦିନ ଚିତ୍ରନଡ଼ିଆ ଘେନି ରାଜାଙ୍କ ନିକଟକୁ ଆସିଥିଲା । ରାଜା ହାଡ଼ି ପାତ୍ର ପରୀକ୍ଷାଙ୍କ ନିକଟକୁ ପାଞ୍ଚଟଙ୍କା ଦେବାକୁ ଚିଠିଲେଖିଲେ । ତାହା ସେ ନ ଦେବାରୁ ଯଦୁମଣି ରାଜାଙ୍କ ନିକଟରେ ନିମ୍ନଲିଖିତ କବିତାଟି ବୋଲିଲେ ।

 

‘‘ଚିତ୍ର ନାରୀକେଳଦୀକ୍ଷା, ଚାଟ ପିଲାଙ୍କର ଭିକ୍ଷା,

ପାତ୍ରଙ୍କ ପତ୍ରରେ ମୁତ୍ରକରି ଛାଡ଼ି ଗଲାକ ହାଡ଼ି ପରୀକ୍ଷା ।’’

 

ରାଜା ତତ୍‌କ୍ଷଣାତ ପାତ୍ରକୁ ଡକାଇ ଆଣି ଯଦୁମଣିଙ୍କୁ ୫ ଟଙ୍କା ଦେଇ ଦେଲେ ।

 

(୪୯) ଯଦୁମଣି ପ୍ରତି ଅମାବାସ୍ୟରେ ରାଜବାଟୀରେ ଥିବା ଏକ ଦେବ ପ୍ରତିମୂର୍ତ୍ତି ଚିତ୍ରକରି ଏକସେର ଉଆଚାଉଳ ପାଆନ୍ତି, ମାତ୍ର ଥରେ ନ ପାଇବାରୁ ନିମ୍ନଲିଖିତ କବିତାଟି ରାଜାଙ୍କ ଆଗରେ ପଢ଼ିଲେ–

 

‘‘ଉଆଁସରେ ଉଆସରେ ନାହିଁ ଉଆସେରେ ।’’

 

(୫୦) ଦଶହରା ଦିନ ଦେବୀଙ୍କ ନିକଟରେ ଯେଉଁମାନେ ପଶୁମାନଙ୍କୁ ହାଣନ୍ତି ତାହାଙ୍କୁ ଲକ୍ଷକରି ଯଦୁମଣି କହିଥିଲେ–

 

କର୍କଶ କରି କରେ କଟାରୀ ଧରି ।

କ୍ରୋଧେ ହାଣଇ ଗଳା କନ୍ଧରୁ କରି ।

ଖାଇଣ ମହାମାୟୀ ସନ୍ତୋଷ ହୋଇ ।

ଜନ୍ମ ଜନ୍ମକେ ହଣା ହୋଇବୁ ତୁହି ।’’

 

(୫୧) ଇଟା ମାଟି ଗ୍ରାମରେ ଜଣେ ବହୁ ସମ୍ପତ୍ତିବାନ ତେଲି ଥିଲା ସେ ଏପରି କୃପଣ ଯେ, ଭଲଦ୍ରବ୍ୟ କିଛି ନ ଖାଇ ମାଣ୍ଡିଆ ପ୍ରଭୃତି ନିକୃଷ୍ଟ ପଦାର୍ଥ ଖାଇ ଧନ ସଞ୍ଚୟ କରିଥାଏ । ଯଦୁମଣିକୁ ସେ କିଛି ଦେଇ ନଥିବାରୁ ସେ ତଳଲିଖିତ କବିତାଟିଏ କହିଲେ–

 

‘‘ଘଣାରେ ଶାବଳ ଦିଆ । ଜାତି ରୀତି ବଳଦିଆ ।

ଭାରିଯାକୁ ବୋଲେ ଘରୁ ତୁ ଭାରି ଯା ଦେଖି ମଳ ହଳଦିଆ ।’’

 

(୫୨) ଯଦୁମଣି ରାଜାଙ୍କୁ ଦୁଇଗୋଟି ବଳଦ ମାଗିଥିଲେ । ମାତ୍ର ରାଜା ଦେବାକୁ କହି ଶିଘ୍ର ନ ଦେବାରୁ ଯଦୁମଣି ନିମ୍ନୋକ୍ତ କବିତାଟି କହିଲେ–

 

‘‘ଦବା ଦବା ବୋଲି ବୋଇଲେ ବରଷିଲେ ଜଳଦ ।

ବିଲ ମାଣ କେତେ ଚଷନ୍ତି ଦେଇଥିଲେ ବଳଦ ।।

ଦେବେ ଦେବେ ବୋଲି ଯାହା ମୁଁ ଜଗତରେ କହିଲି ।

ଦେବଦେବଙ୍କର ବାହାନ ପଛଆଡ଼ୁ ପାଇଲି ।’’

ଦେବ ଦେବ-ମହାଦେବ

 

(୫୩) ଏକଦିନେ ଯଦୁମଣି ଶ୍ୱଶୁର ଘରକୁ ଯାଇଥିଲେ । ଶ୍ୱଶୁର ଯଦୁମଣିଙ୍କର ଚତୁରତାଜାଣି ଆପଣାର ସ୍ତ୍ରୀଙ୍କୁ କହିଲେ ‘ଆମ୍ଭ ସାନଝିଅ ଝଟକମଣି ସହିତରେ ଯଦୁମଣିର ଯେପରି ସାକ୍ଷାତ ନ ହୁଏ ତହିଁ ପ୍ରତି ନଜର ରଖିବ।’ ଏକଥା ଯଦୁମଣି ଶୁଣି ଶ୍ୱଶୁରଙ୍କର ଯେ ଧାଈ ଥିଲା ତାକୁ କିଛି ମୁଦ୍ରାଦେଇ ଏହି କଥା କହିଲେ, ‘ଝଟକ ମଣି ସହିତରେ ମୋର ସାକ୍ଷାତ କରାଇଦେବ ।’ ଧାଈ କହିଲା, ଏ ଯେଉଁ ଘୋଡ଼ାଶାଳ ଅଛି ସେହିଠାରେ ଝଟକମଣି ସହିତ ଆପଣଙ୍କ ସାକ୍ଷାତ କରାଇଦେବି ।’ ତଦନୁସାରେ ଉଭୟଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ସାକ୍ଷାତ ହେଲା । ତହିଁ ଆରଦିନ ଯଦୁମଣି ନିମ୍ନୋକ୍ତ କବିତାଟି ଲେଖି ଶ୍ୱଶୁରଙ୍କୁ ଦେଲେ–

 

ଝଟକମଣିକି ଅଟକ ଯା କଲ, ଛଟକେ ତାକୁ ଦେଖିଲି

ଘୋଟକ ଶାଳରେ ବିନୟ ହୋଇଣ ପରିହାସ କେତେ କଲି ।

 

(୫୪) ଦିନେ ନୟାଗଡ଼ ରାଜା ଯଦୁମଣିଙ୍କୁ କହିଲେ, ‘‘କାଲି ଆମ୍ଭେ ସ୍ୱପ୍ନରେ ଦେଖିଲୁ, ତୁମ୍ଭ ଦେହରେ ବିଷ୍ଠା ବୋଳା ହୋଇଅଛି । ତହୁ ଯଦୁମଣି କହିଲେ, ମୁଁ ମଧ୍ୟ ସ୍ୱପ୍ନ ଦେଖିଥିଲି ମୋ ଦେହରେ ବିଷ୍ଠା ଓ ଛାମୁଙ୍କ ଶ୍ରୀଅଙ୍ଗରେ ମହାପ୍ରସାଦ ବୋଳା ହୋଇଅଛି, ମାତ୍ର ଛାମୁ ମୋ ଦେହକୁ ଏବଂ ମୁଁ ଛାମୁଙ୍କ ଶ୍ରୀଅଙ୍ଗକୁ ଚାଟି ପକାଉଅଛି ।

 

(୫୫) ଆଉ ଦିନେ ରାଜା ଯଦୁମଣିକି କହିଲେ–

ଯଦୁମଣି ତୁ କୁକୁର ।

ଯଦୁମଣି କହିଲେ–ଛାମୁ ତୁଳସି ଗଛ ।

Image